ନୂଆଦିଲ୍ଲୀ: ଦୁନିଆର ଧନୀ କ୍ରିକେଟ ବୋର୍ଡ ବିସିସିଆଇ ଏକ ବଡ଼ ବିଜନେଶ ଡିଲ୍ କରିଛି। ଭାରତର ଘରୋଇ କ୍ରିକେଟ୍ ସିରିଜ୍ ପାଇଁ ବିସିସିଆଇ କମ୍ପା, ଏସବିଆଇ ଲାଇପ୍ ଏବଂ ଚାଟଜିପିଟିକୁ ଆସୋସିଏଟ୍ ପାର୍ଟନର କରିଛି। ଦୁଇ ବର୍ଷ ପାଇଁ ହୋଇଥିବା ଏହି ୩ଟି ପାର୍ଟନର୍ସିପ୍ର ମୋଟ ମୂଲ୍ୟ ୧୩୦ କୋଟି ଟଙ୍କାରୁ ଅଧିକ ବୋଲି ସୂଚନା ମିଳିଛି। ଏହି ଚୁକ୍ତି ଆଗାମୀ ୱେଷ୍ଟ ଇଣ୍ଡିଜର ଘରୋଇ ସିରିଜ୍ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଦୁଇଟି ସିଜନ୍ ପାଇଁ ଲାଗୁ ହେବ। ପୂର୍ବରୁ ହୋଇଥିବା ଡିଲ୍ ଅନୁସାରେ ଏଥର ତିନୋଟି ଡିଲ୍ର ମିଳିତ ମୂଲ୍ୟ ପ୍ରାୟ ୪୪ ପ୍ରତିଶତ ଅଧିକ। ଫଳରେ ଏଥିରୁ ଭାରତୀୟ କ୍ରିକେଟ୍ ପ୍ରତି ବ୍ରାଣ୍ଡ୍ଗୁଡ଼ିକର ବଢ଼ୁଥିବା ଆକର୍ଷଣକୁ ସ୍ପଷ୍ଟ ଦେଖାଉଛି।
ତିନି ଭିନ୍ନ କ୍ଷେତ୍ରର ବଡ଼ ବ୍ରାଣ୍ଡ୍
ଏହି ନୂଆ ପାର୍ଟନର୍ସିପ୍ରେ ପାନୀୟ, ବୀମା ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ତିନିଟି ଭିନ୍ନ କ୍ଷେତ୍ରର ବ୍ରାଣ୍ଡ୍ ସାମିଲ ହୋଇଛନ୍ତି। ଏହି ଡିଲ୍ ଅଧୀନରେ ଦୁଇ ସିଜନ୍ ମଧ୍ୟରେ ଭାରତରେ ଖେଳାଯିବାକୁ ଥିବା ଦ୍ୱିପାକ୍ଷିକ ଘରୋଇ କ୍ରିକେଟ୍ ସିରିଜ୍ଗୁଡ଼ିକୁ କଭର୍ କରାଯିବ। ବିସିସିଆଇ ସଭାପତି ମିଥୁନ ମନହାସ କହିଛନ୍ତି ଯେ, ନୂଆ ସହଭାଗିତା ଭାରତୀୟ କ୍ରିକେଟର ଶକ୍ତି ଏବଂ ଏହି କ୍ରୀଡ଼ା ପ୍ରତି ବ୍ରାଣ୍ଡ୍ଗୁଡ଼ିକର ଭରସାକୁ ଦର୍ଶାଉଛି।
ମନହାସଙ୍କ କହିବା ଅନୁସାରେ, ଭାରତର ଘରୋଇ କ୍ରିକେଟ୍ ସିଜନ୍ ଦେଶରେ ଏକ ମୂଲ୍ୟବାନ ଏବଂ ଚାହିଦାସମ୍ପନ୍ନ କ୍ରୀଡ଼ା ସମ୍ପତ୍ତି ଭାବେ ରହିଛି। କମ୍ପା, ଏସବିଆଇ ଲାଇପ୍ ଏବଂ ଚାଟଜିପିଟିର ଯୋଗଦାନ ଭାରତୀୟ କ୍ରିକେଟର ବିଶାଳ ପହଞ୍ଚ, ଦର୍ଶକଙ୍କ ସହ ଯୋଗାଯୋଗ ଏବଂ ବାଣିଜ୍ୟିକ ସମ୍ଭାବନା ଉପରେ ବ୍ରାଣ୍ଡ୍ଗୁଡ଼ିକର ଭରସାକୁ ପ୍ରମାଣିତ କରୁଛି।
Also Read- ଦୁଲୀପ ଟ୍ରଫି ଫାଇନାଲ୍ ଡ୍ର' ହେଲେ କିଏ ହେବ ଚାମ୍ପିଅନ୍ ? ଜାଣନ୍ତୁ କ'ଣ ରହିଛି ନିୟମ
ବିଜନେଶ ବଢ଼ାଉଛି ବିଜି ଟିମ୍
ହୋଇଥିବା ଡିଲ୍ ମଧ୍ୟରେ ଭାରତୀୟ କ୍ରିକେଟର ଉବୟ ଭାରତୀୟ ପୁରୁଷ ଓ ମହିଳା ଦଳ ଉଭୟ ବଡ଼ ବଡ଼ ପ୍ରତିଯୋଗିତା ଏବଂ ସିରିଜ୍ରେ ବ୍ୟସ୍ତ ରହିବେ। ଏହି ବ୍ୟସ୍ତ ରହିବା ହିଁ ବିସିସିଆଇର ବାଣିଜ୍ୟିକ ଆକର୍ଷଣ ବଢ଼ାଇଛି। ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ, ଘରୋଇ ସିଜନର ପାର୍ଟନରସିପ୍ ମୂଲ୍ୟରେ ୪୪ ପ୍ରତିଶତ ବୃଦ୍ଧି ଭାରତୀୟ କ୍ରିକେଟ୍ ସହ ଯୋଡ଼ି ହେବା ପାଇଁ ବ୍ରାଣ୍ଡ୍ଗୁଡ଼ିକର ବଢ଼ୁଥିବା ଚାହିଦାକୁ ଦର୍ଶାଉଛି। ୧୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ନୂଆ ପାର୍ଟନର୍ସିପ୍ ବିସିସିଆଇ ଓ ଟିମ୍ ଇଣ୍ଡିଆ ପ୍ରତି ବ୍ରାଣ୍ଡ୍ଗୁଡ଼ିକର ବିଶ୍ୱାସର ଏକ ବଡ଼ ପ୍ରମାଣ ବୋଲି କହିଛନ୍ତି ସାଇକିଆ।
ଆଫଗାନିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆ
ସେପ୍ଟେମ୍ବର ୧୩ରୁ ୧୭ ଭାରତୀୟ ପୁରୁଷ ଦଳ ଆଫଗାନିସ୍ତାନ ବିପକ୍ଷରେ ୩ଟି ମ୍ୟାଚ୍ର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ। ତିନୋଟି ଯାକ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଖେଳାଯିବ। ଅନ୍ୟପଟେ ଭାରତୀୟ ମହିଳା ଦଳ ଦୁବାଇରେ ଚାଲିଥିବା ମହିଳା ଏସିଆ କପ୍ରେ ଅଂଶଗ୍ରହଣ କରିଛି। ଅଗଷ୍ଟ ୨୮ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ଭାରତୀୟ ମହିଳା ଦଳ ଇତିମଧ୍ୟରେ ଟୁର୍ଣ୍ଣାମେଣ୍ଟର ନକ୍ଆଉଟ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିସାରିଛି।
ଭାରତୀୟ କ୍ରିକେଟ୍ ସହ କାମ୍ପା ଓ ଏସବିଆଇ ଲାଇପ୍ ସହିତ ଚାଟଜିପିଟିର ଯୋଡ଼ିହେବା ମଧ୍ୟ ବିଶେଷ ଗୁରୁତ୍ୱ ବହନ କରୁଛି। ଏହା ଦର୍ଶାଉଛି ଯେ ଭାରତୀୟ କ୍ରିକେଟ୍ର ବିଶାଳ ଦର୍ଶକ ଆଧାରକୁ ଉପଯୋଗ କରିବା ପାଇଁ ବିଭିନ୍ନ କ୍ଷେତ୍ରର କମ୍ପାନୀ ଓ ବ୍ରାଣ୍ଡ୍ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ନୂଆ ଚୁକ୍ତି ବିସିସିଆଇର ଘରୋଇ କ୍ରିକେଟ୍ ସିଜନର ବାଣିଜ୍ୟିକ ମୂଲ୍ୟକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।
(0)Comments