AI in Odisha Governance System, ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଡିଜିଟାଲ ଶାସନରେ ନୂଆ ଅଧ୍ୟାୟ । କାଗଜ ବିହୀନ ଓ ଦ୍ରୁତ ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ବଡ଼ ପଦକ୍ଷେପ । ଓଡ଼ିଶା ରାଜ୍ୟ କାର୍ଯ୍ୟପ୍ରବାହ ସ୍ୱୟଂଚାଳିତ ବ୍ୟବସ୍ଥା ବା Odisha State Workflow Automation System (OSWAS) 3.0 କାର୍ଯ୍ୟକାରୀ ହେବ । ଏଥିପାଇଁ ଟାଟା କନସଲଟାନ୍ସି ସର୍ଭିସେସ୍- TCS, ୧୨୨.୬ କୋଟି ଟଙ୍କାର ଟେଣ୍ଡର ଜିତିଛି । ଏହା ଫଳରେ ଓଡ଼ିଶା ସରକାରଙ୍କ ସହ TCSର ପ୍ରଯୁକ୍ତିଗତ ସହଭାଗିତା ଆହୁରି ପ୍ରାୟ ୬ ବର୍ଷ ବଢ଼ିବ । TCSର DigiBOLT ପ୍ଲାଟଫର୍ମ ଆଧାରିତ OSWAS 3.0ରେ ୱାର୍କଫ୍ଲୋ ଅଟୋମେସନ, ସିଷ୍ଟମ୍ ଇଣ୍ଟିଗ୍ରେସନ, ଡାଟା ଆନାଲିଟିକ୍ସ, ସାଇବର ସୁରକ୍ଷା ଏବଂ AI-ସକ୍ଷମ ବ୍ୟବସ୍ଥାକୁ ଏକ ସାଧାରଣ ଡିଜିଟାଲ ଭିତ୍ତିଭୂମିରେ ଏକତ୍ର କରାଯିବ । ଫଳରେ ସରକାରୀ ବିଭାଗଗୁଡ଼ିକ ପାଇଁ ଏକ ଏକୀକୃତ ଡିଜିଟାଲ କାର୍ଯ୍ୟସ୍ଥଳ ସୃଷ୍ଟି ହେବ ।
ଡିଜିଟାଲରୁ ଏବେ AI ଆଡ଼କୁ ଓଡ଼ିଶା:-୨୦୦୯ରେ OSWAS 1.0 ଆରମ୍ଭ ହେବା ସହ ଓଡ଼ିଶାର ସରକାରୀ ପ୍ରଶାସନିକ ଫାଇଲ ପ୍ରକ୍ରିୟା ଧୀରେ ଧୀରେ କାଗଜ ନିର୍ଭରତାରୁ ଡିଜିଟାଲ ବ୍ୟବସ୍ଥାକୁ ଆସିଥିଲା । ଡିଜିଟାଲ ଫାଇଲ ଚଳାଚଳ, ଅନଲାଇନ ଅନୁମୋଦନ, ଫାଇଲର ସ୍ଥିତି ଟ୍ରାକିଂ ଏବଂ ପୁରୁଣା ରେକର୍ଡର ସହଜ ଉପଲବ୍ଧତା ଦ୍ୱାରା ଏହା ପ୍ରଶାସନିକ କାର୍ଯ୍ୟକୁ ଅଧିକ ସ୍ୱଚ୍ଛ ଓ ଦକ୍ଷ କରିଛି । ୨୦୧୮ରେ OSWAS 2.0 ଆସିବା ପରେ ଏହାର ପ୍ରଯୁକ୍ତିଗତ ଭିତ୍ତିଭୂମି ସୁଦୃଢ଼ ହୋଇଥିଲା । ଏହାସହ ଏହାର ବ୍ୟବହାର ଲୋକସେବା ଭବନରୁ ବାହାରି ନିର୍ଦ୍ଦେଶାଳୟ, ଜିଲ୍ଲା ଓ ବିଭିନ୍ନ ସରକାରୀ ନିଗମ ପର୍ଯ୍ୟନ୍ତ ବ୍ୟାପିଥିଲା । ଏବେ OSWAS 3.0 ମାଧ୍ୟମରେ ଏହି ଡିଜିଟାଲ ପ୍ରଶାସନକୁ ଆହୁରି ଆଧୁନିକ ଓ AI ଆଧାରିତ କରିବାକୁ ଲକ୍ଷ୍ୟ ରହିଛି ।
୪,୬୦୦ କାର୍ଯ୍ୟାଳୟ, ୫୦ ହଜାର ବ୍ୟବହାରକାରୀ:-ବର୍ତ୍ତମାନ OSWAS ବ୍ୟବସ୍ଥାରେ ରାଜ୍ୟର ୪,୬୦୦ରୁ ଅଧିକ ସରକାରୀ କାର୍ଯ୍ୟାଳୟ ଏବଂ ପ୍ରାୟ ୫୦ ହଜାର ବ୍ୟବହାରକାରୀ ସଂଯୁକ୍ତ ଅଛନ୍ତି । ନୂଆ ସଂସ୍କରଣ ଲାଗୁ ହେଲେ ଏହି ବ୍ୟବସ୍ଥା ଅଧିକ ସ୍କେଲେବଲ, ସୁରକ୍ଷିତ ଓ ମୋବାଇଲ୍- ଫ୍ରେଣ୍ଡଲି ହେବ ।
OSWAS 3.0ରେ ଅଧିକ ଆଧୁନିକ:-OSWAS 3.0ରେ Microservices-Based Architecture ବା ମାଇକ୍ରୋସର୍ଭିସ୍ ଆଧାରିତ ଆଧୁନିକ ଡିଜିଟାଲ ଢାଞ୍ଚା ବ୍ୟବହାର କରାଯିବ । ଏହାଦ୍ୱାରା ଆବଶ୍ୟକତା ଅନୁସାରେ ବିଭିନ୍ନ ସେବା ଓ ଆପ୍ଲିକେସନକୁ ସହଜରେ ସଂଯୋଗ କିମ୍ବା ଅପଗ୍ରେଡ୍ କରାଯାଇପାରିବ । OSWAS 3.0ରେ AI ସକ୍ଷମ ବୈଶିଷ୍ଟ୍ୟ ଯୋଡ଼ାଯିବା, ଏହାର ଏକ ପ୍ରମୁଖ ଦିଗ । ନିୟମିତ ଓ ପୁନରାବୃତ୍ତିମୂଳକ ପ୍ରଶାସନିକ କାର୍ଯ୍ୟରେ ଡିଜିଟାଲ ଅଟୋମେସନ ବଢ଼ାଇବା ସହ ଅଧିକାରୀଙ୍କୁ ଶୀଘ୍ର ତଥ୍ୟ ଉପଲବ୍ଧ କରାଇବା ଏହାର ଉଦ୍ଦେଶ୍ୟ । ଏହା ଫଳରେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ତଥ୍ୟଭିତ୍ତିକ ସହାୟତା ମିଳିପାରିବ । ସେହିପରି ଏହାସହ ଓଡ଼ିଆ ଭାଷାର ବ୍ୟବହାର ସୁବିଧା ଯୋଡ଼ାଯିବ । ରାଜ୍ୟର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଡିଜିଟାଲ ବ୍ୟବସ୍ଥାକୁ ଅଧିକ ସହଜ ଓ ବ୍ୟବହାରଯୋଗ୍ୟ କରିବାରେ ଏହା ସହାୟକ ହେବ । ବିଭିନ୍ନ ସରକାରୀ ଆପ୍ଲିକେସନ ମଧ୍ୟରେ ଇଣ୍ଟରଅପରେବିଲିଟି ବଢ଼ାଇବା ଉପରେ ମଧ୍ୟ ଗୁରୁତ୍ୱ ରହିବ ।
ମୋବାଇଲରୁ ମଧ୍ୟ ପ୍ରଶାସନିକ କାର୍ଯ୍ୟ:-OSWAS 3.0 ମୋବାଇଲକୁ ପ୍ରାଥମିକତା ଦେଇ ବିକଶିତ ଡିଜିଟାଲ ପ୍ଲାଟଫର୍ମ ବା mobile-first platform ଭାବେ ବିକଶିତ କରାଯିବ । ଅର୍ଥାତ ଅଧିକାରୀମାନେ କେବଳ କାର୍ଯ୍ୟାଳୟରେ ଥିବା ସମୟରେ ହିଁ ନୁହେଁ, ଆବଶ୍ୟକତା ଅନୁଯାୟୀ ମୋବାଇଲ କିମ୍ବା ଅନ୍ୟ ଡିଜିଟାଲ ଡିଭାଇସ ମାଧ୍ୟମରେ ମଧ୍ୟ ଫାଇଲ ଓ ପ୍ରାଶାସନିକ କାର୍ଯ୍ୟ ସହ ଯୋଡ଼ି ରହିପାରିବେ । ଏହା ଫଳରେ ଫାଇଲ ଅଟକି ରହିବା, ମାନୁଆଲ ଫଲୋଅପ ଏବଂ ଅନାବଶ୍ୟକ ବିଳମ୍ବ କମାଇବାର ସୁଯୋଗ ସୃଷ୍ଟି ହେବ । ଫାଇଲ୍ କେଉଁ ସ୍ତରରେ ରହିଛି, କେଉଁ ଅଧିକାରୀଙ୍କ ନିକଟରେ ଅଛି ଏବଂ ତାହା ଉପରେ କ'ଣ ପଦକ୍ଷେପ ନିଆଯାଇଛି, ଏସବୁ ତଥ୍ୟ ଡିଜିଟାଲ ଭାବେ ଟ୍ରାକ କରିବା ଅଧିକ ସହଜ ହେବ ।
ଡିଜିଟାଲ ଶାସନର ଏକୀକୃତ ପ୍ଲାଟଫର୍ମ:-ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ତଥ୍ୟ ଓ ଡିଜିଟାଲ୍ ସିଷ୍ଟମ୍ର ସମନ୍ୱୟ OSWAS 3.0ର ଅନ୍ୟତମ ଲକ୍ଷ୍ୟ । ଏହା ଫଳରେ ଭିନ୍ନ ଭିନ୍ନ ସରକାରୀ ଆପ୍ଲିକେସନକୁ ଏକାଠି କାମ କରାଇବା ସହଜ ହେବ । ପ୍ରଶାସନିକ ନିଷ୍ପତ୍ତିଠାରୁ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ସମୟ କମାଇବା ଏବଂ ଉତ୍ତରଦାୟିତ୍ୱ ବଢ଼ାଇବା ଦିଗରେ ଏହି ପ୍ଲାଟଫର୍ମ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଇଲେକ୍ଟ୍ରୋନିକ ଫାଇଲ ପ୍ରକ୍ରିୟା, ଡିଜିଟାଲ ଅନୁମୋଦନ, ରିଅଲ-ଟାଇମ ଟ୍ରାକିଂ, ରେକର୍ଡର ସହଜ ପ୍ରବେଶ ଓ ସୁରକ୍ଷିତ ତଥ୍ୟ ପରିଚାଳନା ଦ୍ୱାରା ପ୍ରଶାସନକୁ ଅଧିକ ପାରଦର୍ଶୀ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ଓଡ଼ିଶା ସରକାରଙ୍କ ସହ TCSର ଦୀର୍ଘ ସହଭାଗିତା:-OSWAS ବ୍ୟତୀତ TCS ଓଡ଼ିଶା ସରକାରଙ୍କ ଅନେକ ଡିଜିଟାଲ୍ ପଦକ୍ଷେପରେ ପ୍ରଯୁକ୍ତିଗତ ସହଯୋଗ କରିଆସୁଛି । ଏଥିରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥା ବା Odisha Birth and Death Registration System, ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସୁଧ ରିହାତି ପ୍ରକ୍ରିୟା ସମ୍ପର୍କିତ ଡିଜିଟାଲ ସମାଧାନ, ସମନ୍ୱିତ ଆର୍ଥିକ ପରିଚାଳନା ପ୍ରଣାଳୀ ବା Integrated Financial Management System(IFMS), OSWAS ଏବଂ ହାଇକୋର୍ଟ ପାଇଁ ଓଡ଼ିଶା ନ୍ୟାୟିକ କାର୍ଯ୍ୟପ୍ରବାହ ସ୍ୱୟଂଚାଳନ ପ୍ରଣାଳୀ ବା Odisha Judicial Workflow Automation System (OJWAS) ଭଳି ପ୍ରକଳ୍ପ ରହିଛି ।
'ଓଡ଼ିଶାବାସୀଙ୍କ ପାଇଁ ଅଧିକ ଦକ୍ଷ ଓ ଫଳାଫଳ ଭିତ୍ତିକ ଶାସନ ବ୍ୟବସ୍ଥା ପ୍ରଦାନ ଲକ୍ଷ୍ୟ':-ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି, 'OSWAS ଓଡ଼ିଶା ସରକାରଙ୍କ ଡିଜିଟାଲ୍ ପ୍ରଶାସନର ମେରୁଦଣ୍ଡ ଭାବେ ବିକଶିତ ହୋଇଛି । ଏହା ରାଜ୍ୟବ୍ୟାପୀ ନିରବଚ୍ଛିନ୍ନ, ସ୍ୱଚ୍ଛ ଓ କାଗଜବିହୀନ ଶାସନ ବ୍ୟବସ୍ଥାକୁ ସକ୍ଷମ କରିଛି । ଏହି ଭିତ୍ତିଭୂମି ଉପରେ ଆଧାର କରି OCAC, TCS ସହଯୋଗରେ OSWAS 3.0 ମାଧ୍ୟମରେ ଡିଜିଟାଲ୍ ଶାସନର ପରବର୍ତ୍ତୀ ପିଢ଼ିକୁ ରୂପାନ୍ତରିତ କରୁଛି । ଆଧୁନିକ ମାଇକ୍ରୋସର୍ଭିସ- ଆଧାରିତ ଡିଜିଟାଲ୍ ଢାଞ୍ଚା, AI, ଉନ୍ନତ ସୁରକ୍ଷା, ବିଭିନ୍ନ ପ୍ରଣାଳୀ ମଧ୍ୟରେ ପାରସ୍ପରିକ ସଂଯୋଗକ୍ଷମତା ଏବଂ ୱେବ ଆକ୍ସେସିବିଲିଟି ଦ୍ୱାରା ଏହି ପ୍ଲାଟଫର୍ମ ନିୟମିତ ପ୍ରଶାସନିକ କାର୍ଯ୍ୟର ଜଟିଳତା କମାଇବ । ଏହା ସହ ଯେକୌଣସି ସ୍ଥାନରୁ ଅଧିକ ଦ୍ରୁତ ଓ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣକୁ ସମ୍ଭବ କରିବ । ଉନ୍ନତ କ୍ଷମତା, ଓଡ଼ିଆ ଭାଷା ସମର୍ଥନ ଏବଂ ବିଭିନ୍ନ ସରକାରୀ ଆପ୍ଲିକେସନ୍ ମଧ୍ୟରେ ଅଧିକ ଗଭୀର ସମନ୍ୱୟ ସହ OSWAS 3.0 ନିଷ୍ପତ୍ତିଠାରୁ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ପ୍ରକ୍ରିୟାକୁ ଆହୁରି ଦ୍ରୁତ କରିବ । ଏହା ଓଡ଼ିଶାବାସୀଙ୍କ ପାଇଁ ଅଧିକ ଦକ୍ଷ ଓ ଫଳାଫଳ ଭିତ୍ତିକ ଶାସନ ବ୍ୟବସ୍ଥା ପ୍ରଦାନ କରିବ ।"
'AI ଓ ଆଧୁନିକ ଡିଜିଟାଲ ପ୍ରଯୁକ୍ତି ପ୍ରଶାସନକୁ ଦ୍ରୁତ କରିବାର ସୁଯୋଗ':-ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ କହିଛନ୍ତି, "OSWAS 3.0 ମାଧ୍ୟମରେ ଏହି ସହଭାଗିତା ଏବେ ଆହୁରି ଆଗକୁ ବଢ଼ିବ । AI ଓ ଆଧୁନିକ ଡିଜିଟାଲ ପ୍ରଯୁକ୍ତି ପ୍ରଶାସନକୁ ଅଧିକ ଦ୍ରୁତ କରିବାର ସୁଯୋଗ ଦେବ । ଅନ୍ୟପଟେ ତଥ୍ୟ ସୁରକ୍ଷା, ସିଷ୍ଟମ ଇଣ୍ଟିଗ୍ରେସନ ଓ ଡିଜିଟାଲ ଉତ୍ତର ଦାଇତ୍ୱ ମଧ୍ୟ ଏହାର ସଫଳତାର ମୁଖ୍ୟ ମାପଦଣ୍ଡ ହେବ । ଏଣିକି ଓଡ଼ିଶାର କାଗଜ ବିହୀନ ଶାସନ ବ୍ୟବସ୍ଥା କେବଳ ଫାଇଲକୁ ଡିଜିଟାଲ କରିବାରେ ସୀମିତ ନରହି AI-ସକ୍ଷମ, ମୋବାଇଲ-ଆଧାରିତ ଓ ତଥ୍ୟଭିତ୍ତିକ ପ୍ରଶାସନ ଦିଗରେ ଆଗକୁ ବଢ଼ିବ । ଏହା ନିଷ୍ପତ୍ତିରୁ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ପ୍ରଶାସନିକ ଗତି ବଢ଼ାଇବା ସହ ନାଗରିକଙ୍କୁ ଅଧିକ ଦ୍ରୁତ ଓ ପ୍ରତିକ୍ରିୟାଶୀଳ ସରକାରୀ ସେବା ଦେବାରେ ସହାୟକ ହେବ ।"
'ପ୍ରଯୁକ୍ତିର ବ୍ୟବହାର କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଙ୍କଠୁ ଆଗରେ':-TCSର ପବ୍ଲିକ୍ ସର୍ଭିସେସ୍ ମୁଖ୍ୟ (ଇଣ୍ଡିଆ) ସୁଶିଲ ଜୈନ କହିଛନ୍ତି, 'ଶାସନ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ପ୍ରଯୁକ୍ତିର ବ୍ୟବହାର କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ମାନଙ୍କଠାରୁ ଆଗରେ ରହିଆସିଛି । OSWAS 3.0 ଏହି ଦୃଢ଼ ଡିଜିଟାଲ୍ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରି ଅଧିକ ସୁରକ୍ଷିତ, ବିସ୍ତାରକ୍ଷମ ଏବଂ ମୋବାଇଲ କୁ ପ୍ରାଥମିକତା ଦେଇ ବିକଶିତ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ । ଏହା ଅଧିକାରୀମାନଙ୍କୁ ଅଧିକ ଦ୍ରୁତ ଗତି ଓ ସ୍ପଷ୍ଟତା ସହ କାମ କରିବାକୁ ସକ୍ଷମ କରିବ । ଜବାବଦେହିତାକୁ ସୁଦୃଢ଼ କରିବ । ସମଗ୍ର ରାଜ୍ୟରେ ଅଧିକ ସମନ୍ୱିତ ଓ ତତ୍ପର ପ୍ରଶାସନ ବ୍ୟବସ୍ଥାକୁ ସମ୍ଭବ କରିବ ।"
'ନିୟମିତ ଭାବେ ପ୍ରଶାସନିକ ସଂସ୍କାର ଜରୁରୀ':-ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଛନ୍ତି, "ନିୟମିତ ଭାବେ ପ୍ରଶାସନିକ ସଂସ୍କାର ଜରୁରୀ । ସମୟର ଆହ୍ୱାନ କ୍ରମେ କାର୍ଯ୍ୟ ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ ଜରୁରୀ । ଜନସଂଖ୍ୟା ସହ ଜନସାଧାରଣଙ୍କ ଆବଶ୍ୟକତା ମଧ୍ୟ ଦିନକୁ ଦିନ ବଢୁଛି । ତେଣୁ ବ୍ୟବସ୍ଥାରେ ଉନ୍ନତି ଜରୁରୀ । ଅଧିକାରୀମାନେ ନୂଆ ବ୍ୟବସ୍ଥା ସହ ଯୋଡ଼ି ହେବା ଦରକାର । ଖାପ ଖୁଆଇ ଆଗକୁ ବଢ଼ିବା ଦରକାର । ଆମ ସମୟରେ ଫାଇଲକୁ କର୍ମଚାରୀ ଧରି ଏପାଖ ସେପାଖ ହେଉଥିଲେ । ଏପଟ ସେପଟ ହେବାରେ ଫାଇଲ ସଠିକ ସମୟରେ ଠିକ ସ୍ଥାନରେ ପହଁଚୁ ନଥିଲା । ହଜିବାର ଅନେକ ନଜିର ମଧ୍ୟ ରହିଛି । OSWAS ଆସିବା ପରେ କାମ ଟିକେ ସହଜ ହୋଇଛି । ଏହାକୁ ଏବେ ସରକାର ଅପଡେଟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଭଲ କଥା ।"
'ନିର୍ଯାତନାରୁ ମିଳିବ ମୁକ୍ତି':-ଉପଭୋକ୍ତା ରାଜେନ୍ଦ୍ର ସେନାପତି କହିଛନ୍ତି, "ପୂର୍ବରୁ ଫାଇଲ କାମ ପାଇଁ ଏ ଅଫିସରୁ ସେ ଅଫିସ ଦୌଡ଼ିବାକୁ ପଡୁଥିଲା । ଆଜି ଛୁଟି, କାଲି ଆସନ୍ତୁ । ସାର ଛୁଟିରେ ଅଛନ୍ତି, ୨ ଦିନ ପରେ ଆସନ୍ତୁ । ଫାଇଲ ଆମ ପାଖରେ ନାହିଁ, ବଡ଼ ବାବୁଙ୍କ ପାଖରେ ଅଛି । ଏମିତି ଅନେକ ଅଧିକାରୀ ବାହାନା କରୁଥିଲେ । ବିଗତ କିଛି ବର୍ଷ ହେବ, ଏଥିରେ ସୁଧାର ଆସିଛି । ଆଗକୁ ଆହୁରି ସୁଧାରର ଆବଶ୍ୟକତା ରହିଛି । ସରକାରଙ୍କ ନୂଆ ପଦକ୍ଷେପ ସଫଳ ହେଲେ ଜନସାଧାରଣ ଲାଭାନ୍ବିତ ହେବେ । ଅଫିସରୁ ଅଫିସ ଦୌଡ଼ି ଦୌଡ଼ି ଶୋଷଣ ଓ ନିର୍ଯାତନାରୁ ମୁକ୍ତି ପାଇବେ ।"
କ୍ୟାବିନେଟ ଦେଇଥିଲା ମଞ୍ଜୁରୀ:-ଓଡ଼ିଶା ସରକାରଙ୍କ ଫ୍ଲାଗ୍ସିପ୍ ପ୍ରକଳ୍ପ OSWAS ଦ୍ୱାରା ସମୟୋପଯୋଗୀ ଓ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣ ସମ୍ଭବ ହୋଇଛି । ଏହି ବ୍ୟବସ୍ଥାକୁ ବ୍ଲକ ଓ ତହସିଲ ସ୍ତରୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି । ସମସ୍ତ କାର୍ଯ୍ୟାଳୟକୁ କାଗଜ ବିହୀନ କରିବା ଉଦ୍ୟମର ଅଂଶ ଭାବେ ୨୦୨୫-୨୬ ମସିହାରେ OSWAS 2.0ର କାର୍ଯ୍ୟାନ୍ୱୟନକୁ ବ୍ୟାପକ ଭାବେ ସମ୍ପ୍ରସାରିତ ହୋଇଛି । OSWAS ଅଧୀନରେ ଥିବା କାର୍ଯ୍ୟାଳୟ ସଂଖ୍ୟା ୬୩୮ % ଓ ବ୍ୟବହାରକାରୀଙ୍କ ସଂଖ୍ୟା ୨୪୭ ପ୍ରତିଶତ ବୃଦ୍ଧି ପାଇଛି । OSWAS 3.0 ପ୍ରକଳ୍ପ ପାଇଁ ନୂଆ ସିଷ୍ଟମ ଡେଭେଲପର ଚୟନ ନିମନ୍ତେ କ୍ରୟ ନିର୍ଦ୍ଦେଶାବଳୀ ଅନୁଯାୟୀ eNivida ପୋର୍ଟାଲ ମାଧ୍ୟମରେ ଟେଣ୍ଡର ଆହ୍ୱାନ କରାଯାଇଥିଲା । M/s TCS Ltd. ପକ୍ଷରୁ ଏହି ଏକମାତ୍ର ବିଡ୍ ଦାଖଲ କରାଯାଇଥିଲା । OGFR ନିର୍ଦ୍ଦେଶାବଳୀ ଅନୁଯାୟୀ ବିଡ୍ର ମୂଲ୍ୟାୟନ ଏବଂ ପରବର୍ତ୍ତୀ ଆଲୋଚନା ପରେ M/s TCS, ୫ ବର୍ଷର ସହାୟତା ସହ OSWAS 3.0 କାର୍ଯ୍ୟାନ୍ୱୟନ ପାଇଁ ୧,୨୨,୬୦,୨୫,୪୩୬.୦୦ ମୂଲ୍ୟରେ କାର୍ଯ୍ୟ କରିବାକୁ ସମ୍ମତ ହୋଇଛି । ଅଗଷ୍ଟ ୧୨ ତାରିଖରେ ଓଡ଼ିଶା ସରକାରଙ୍କ କ୍ୟାବିନେଟ M/s TCS Ltd. ପକ୍ଷରୁ ଦାଖଲ ହୋଇଥିବା ବିଡକୁ ଗ୍ରହଣ କରିବା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା । ଏହା ମଧ୍ୟ ପଢ଼ନ୍ତୁ- କ୍ୟାବିନେଟର ବଡ଼ ନିଷ୍ପତ୍ତି; ବିଦ୍ୟୁତ୍ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ୧୫,୯୪୮.୭୦ କୋଟି ମଞ୍ଜୁର
ଏହା ମଧ୍ୟ ପଢ଼ନ୍ତୁ- ୧୨ ବିଭାଗର ୧୮ ପ୍ରସ୍ତାବକୁ ମଞ୍ଜୁରୀ; ବିଦ୍ୟୁତ ଭିତ୍ତିଭୂମି ସୁଦୃଢ ସହ ସଡ଼କ ଉନ୍ନତିକରଣକୁ ଗୁରୁତ୍ୱ
ଇଟିଭି ଭାରତ, ଭୁବନେଶ୍ବର
(0)Comments