CHSE VOCATIONAL EDUCATION, ଭୁବନେଶ୍ବର: ଏଣିକି କେବଳ ପାଠପଢ଼ା ନୁହେଁ, ଦକ୍ଷତା ଓ ରୋଜଗାର ମୁଖୀ ଶିକ୍ଷା ଉପରେ ରହିବ ଅଧିକ ଫୋକସ୍ । ଓଡ଼ିଶାର ଉଚ୍ଚମାଧ୍ୟମିକ ସ୍ତରରେ ଧନ୍ଦାମୂଳକ ଶିକ୍ଷାର ପରିସର ବଢ଼ାଇବାକୁ CHSE ନେଇଛି ବଡ଼ ପଦକ୍ଷେପ । ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଇଣ୍ଟିଗ୍ରେଟେଡ୍ ଭୋକେସନାଲ୍ ଷ୍ଟ୍ରିମ୍ରେ ସାମିଲ ହେବ ଦୁଇଟି ନୂଆ ବିଷୟ—'ହେଲ୍ଥ କେୟାର' ଓ 'ଆପାରେଲ୍ସ'। ଓଡ଼ିଶାର ଉଚ୍ଚମାଧ୍ୟମିକ ସ୍ତରରେ ଧନ୍ଦାମୂଳକ ଶିକ୍ଷାକୁ ଆହୁରି ବ୍ୟାପକ କରିବାକୁ ବଡ଼ ପଦକ୍ଷେପ ନେଇଛି, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ (CHSE) । ଏଣିକି ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଇଣ୍ଟିଗ୍ରେଟେଡ୍ ଭୋକେସନାଲ୍ ଷ୍ଟ୍ରିମ୍ରେ ଆଉ ଦୁଇଟି ନୂଆ ଧନ୍ଦାମୂଳକ ବିଷୟ ପଢ଼ିବାର ସୁଯୋଗ ପାଇବେ । ଏହି ଦୁଇ ବିଷୟ ହେଉଛି 'ହେଲ୍ଥ କେୟାର' ଏବଂ 'ଆପାରେଲ୍ସ'।CHSEର ଏକାଡେମିକ୍ କମିଟିର ସମ୍ପ୍ରତି ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି (OSEPA) ପକ୍ଷରୁ ଦିଆଯାଇଥିବା ଅନୁରୋଧ ଆଧାରରେ ନୂଆ ବିଷୟ ଦୁଇଟିକୁ ଇଣ୍ଟିଗ୍ରେଟେଡ୍ ଭୋକେସନାଲ୍ ଷ୍ଟ୍ରିମ୍ରେ ସାମିଲ କରିବା ପ୍ରସ୍ତାବ ଉପରେ କମିଟି ଆଲୋଚନା କରିଥିଲା । ପରେ ଉଭୟ ବିଷୟକୁ ଅନୁମୋଦନ ଦିଆଯାଇଛି ।'ହେଲ୍ଥ କେୟାର' ବିଷୟ ମାଧ୍ୟମରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ସମ୍ପର୍କରେ ଛାତ୍ରଛାତ୍ରୀ ପ୍ରାଥମିକ ଜ୍ଞାନ ଓ ଦକ୍ଷତା ହାସଲ କରିପାରିବେ । ସେହିପରି 'ଆପାରେଲ୍ସ' ବିଷୟରେ ପୋଷାକ ନିର୍ମାଣ ଓ ଏହାସହ ଜଡ଼ିତ କ୍ଷେତ୍ର ସମ୍ପର୍କରେ ବ୍ୟବହାରିକ ଜ୍ଞାନ ମିଳିବାର ସୁଯୋଗ ରହିବ ।
ଉଚ୍ଚମାଧ୍ୟମିକ ସ୍ତରରୁ ଛାତ୍ରଛାତ୍ରୀଙ୍କୁ କେବଳ ପାଠ୍ୟପୁସ୍ତକଭିତ୍ତିକ ଶିକ୍ଷା ନଦେଇ ଦକ୍ଷତା ଓ ନିଯୁକ୍ତିମୁଖୀ ଶିକ୍ଷା ପ୍ରଦାନ ଉପରେ ଏହି ପଦକ୍ଷେପ ଗୁରୁତ୍ୱ ଦେବ । ଏହାଦ୍ୱାରା ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ସହ ଭବିଷ୍ୟତରେ ବିଭିନ୍ନ ବୃତ୍ତିଗତ କ୍ଷେତ୍ରରେ ନିଜ ଦକ୍ଷତା ବିକଶିତ କରିବାର ସୁଯୋଗ ପାଇପାରିବେ ।ଅନ୍ୟପଟେ CHSE ପରୀକ୍ଷା ବ୍ୟବସ୍ଥାରେ ମଧ୍ୟ ନୂଆ ନିୟମ ଆସୁଛି । ୨୦୨୭ରୁ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଇଣ୍ଟରନାଲ୍ ପରୀକ୍ଷା ଦେବାକୁ ପଡ଼ିବ । ସିଲାବସ୍ କମିଟି ବୈଠକରେ ଏହି ନୂଆ ବ୍ୟବସ୍ଥାକୁ ଅନୁମୋଦନ ମିଳିଛି । ଫଳରେ ଆଗକୁ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ ମଧ୍ୟ ଇଣ୍ଟରନାଲ୍ ମୂଲ୍ୟାୟନରୁ ବାଦ୍ ପଡ଼ିବେ ନାହିଁ ।କୌଣସି କାରଣରୁ ଛାତ୍ରଛାତ୍ରୀ ଇଣ୍ଟରନାଲ୍ ପରୀକ୍ଷା ଦେଇନଥିଲେ, ସେମାନଙ୍କ ପାଇଁ ମଧ୍ୟ ବିକଳ୍ପ ବ୍ୟବସ୍ଥା ରହିବ । ପରୀକ୍ଷା ଅଧୀକ୍ଷକ ନିଜ ଆଡୁ ଇଣ୍ଟରନାଲ୍ ପରୀକ୍ଷା କରାଇପାରିବେ । ଏହାଦ୍ୱାରା ଇଣ୍ଟରନାଲ୍ ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରହିଛି । ଏନେଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି ।ସେହିପରି ଓପନ୍ ଲର୍ଣ୍ଣିଂ ବ୍ୟବସ୍ଥାକୁ ମଧ୍ୟ ଅଧିକ ବ୍ୟାପକ କରାଯିବ । ଓପନ୍ ଲର୍ଣ୍ଣିଂରେ ଯୁକ୍ତ ଦୁଇ ଶିକ୍ଷାକୁ ଯୋଡ଼ିବା ପାଇଁ ପଦକ୍ଷେପ ନିଆଯିବ । ଏହାଦ୍ୱାରା ନିୟମିତ ଶିକ୍ଷା ବ୍ୟବସ୍ଥାରୁ ବାଦ ପଡ଼ିଥିବା କିମ୍ବା ନିୟମିତ ସ୍କୁଲ୍ ଯାଇପାରୁନଥିବା ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଜାରି ରଖିବାର ଅଧିକ ସୁଯୋଗ ମିଳିପାରିବ । ସାମଗ୍ରିକ ଭାବେ, ଶିକ୍ଷାକୁ କେବଳ ପରୀକ୍ଷା ଓ ମାର୍କ ମଧ୍ୟରେ ସୀମିତ ନରଖି ଦକ୍ଷତା, ପ୍ରାକ୍ଟିକାଲ ଲର୍ନିଂ, ଡିଜିଟାଲ୍ ଶିକ୍ଷା ଓ ରୋଜଗାର ସହ ଯୋଡ଼ିବା ଉପରେ ସରକାର ଗୁରୁତ୍ୱ ଦିଆଯାଉଛି ।ଏହା ମଧ୍ୟ ପଢ଼ନ୍ତୁ- ଯୁକ୍ତ ଦୁଇ ପରୀକ୍ଷାରେ ନୂଆ ନିୟମ;୨୦୨୭ରୁ ଏକ୍ସ ରେଗୁଲାରଙ୍କ ପାଇଁ ବି ଇଣ୍ଟରନାଲ୍ ପରୀକ୍ଷା ବାଧ୍ୟତାମୂଳକ
ଏହା ମଧ୍ୟ ପଢ଼ନ୍ତୁ- +2 ଇମ୍ପ୍ରୁଭମେଣ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; କମ୍ ମାର୍କ ରହିଲେ ପୁରୁଣା ମାର୍କସିଟ୍ ରହିବ ବଳବତ୍ତର
ଇଟିଭି ଭାରତ, ଭୁବନେଶ୍ୱର
(0)Comments