ଚଳିତ ଥର ସୁବର୍ଣ୍ଣରେଖାରେ ଏଯାବତ ହେଲାଣି ୩ ଥର ବନ୍ୟା। ଯେତେବେଳେ ଗାଲୁଡି ପାଣି ଛାଡ଼ୁଛି ସେତେବେଳେ ସୁବର୍ଣ୍ଣରେଖାରେ ଆସୁଛି ବନ୍ୟା , କେବଳ ସୁବର୍ଣ୍ଣରେଖା ନୁହେଁ ବାଲେଶ୍ୱର ଜିଲ୍ଲାର ଜଳକା , ବୁଢାବଳଙ୍ଗ ନଦୀ ସମେତ ସ୍ୱର୍ଣ୍ଣ , କାଂଶ ବାଂଶ ନଦୀରେ ବି ବନ୍ୟା ଫଳରେ ବ୍ୟାପକ ଧନ ଜୀବନ ନଷ୍ଟ ହେଉଛି । ବନ୍ୟା ଫଳରେ ଜିଲ୍ଲାର ଅଧାରୁ ଅଧିକ ଅଞ୍ଚଳର ଲୋକେ ହେଉଛନ୍ତି ପ୍ରଭାବିତ। ନଦୀରେ ପାଣି ବଢିଲେ ବନ୍ୟା ହେଉଛି ତାହା ନୁହେଁ ଅନେକ ସମୟରେ ବିଭିନ୍ନ ସ୍ଥାନରେ ନଦୀ ବନ୍ଧ , ଜଳ ନିଷ୍କାସନ ପାଇଁ ଆବଶ୍ୟକୀୟ ଡ୍ରେନ ନିର୍ମାଣ , କଲଭର୍ଟ , ହୋମ ପାଇପର ଆବଶ୍ୟକତା ପାଇଁ ମଧ୍ୟ ଲୋକେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇ ଆସୁଛି।
ସୁବର୍ଣ୍ଣରେଖା ସଂସ୍କାର ଯୋଜନା ଏଯାବତ କାର୍ଯକାରୀ ନହେବା ଏବଂ ଓଡ଼ିଶା ଓ ଝାଡଖଣ୍ଡ ସରକାରଙ୍କ ପାଣି ଛାଡି ସମନ୍ବୟ ନଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢୁଥିବା ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଛନ୍ତି। ମାତ୍ର ଏବେ ଲୋକଙ୍କ ଅଭିଯୋଗ ଓ ଆବଶ୍ୟକତାର ସମାଧାନ ବାଟ ବାହାର କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଲୋକଙ୍କୁ ମଗାଯାଉଛି ବନ୍ୟା ରୋକିବା ବା ନିଜ ଅଞ୍ଚଳ କୁ ସୁରକ୍ଷିତ ରଖିବା ପାଇଁ ମତାମତ।ସରପଞ୍ଚ , ସମିଟିସଭ୍ୟ ଆଦି ଲୋକ ପ୍ରତିନିଧିଙ୍କ ସମେତ ସାଧାରଣ ଲୋକଙ୍କୁ ନିଜ ଅଂଚଳରେ ସ୍ଥାୟୀ ସମାଧାନ ପାଇଁ ମତ ଲୋଡିଛି ଜିଲ୍ଲା ପ୍ରଶାସନ। ପ୍ରତି ବ୍ଲକ ଓ ତହସିଲ ଅଫିସରେ ମତ ଦେଉଛନ୍ତି ଲୋକେ।
ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଚଳିତ ବନ୍ୟାରେ ବ୍ୟାପକ କ୍ଷତି ସହିଥିବାରୁ ସୁବର୍ଣ୍ଣରେଖାର ମୁହାଣା ଖନନ, ନଦୀ ବନ୍ଧ ନିର୍ମାଣ ଓ ଜଳ ସଂସ୍କାର କରିବାକୁ ମତ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ବିଡ଼ିଓ ଏବଂ ତହସିଲଦାର ମାନେ ଲୋକ ପ୍ରତିନିଧି ଓ ସାଧାରଣ ଲୋକଙ୍କ ଏସବୁ ମତାମତକୁ ନେଇ ନିଜ ଅଂଚଳର ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଏହାପରେ ଜିଲ୍ଲା ସ୍ତରରେ ସବୁ ରିପୋର୍ଟ କୁ ଏକାଠି କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ଏନେଇ ଜିଲ୍ଲାପାଳ କହିଛନ୍ତି , ରାଜ୍ୟ ସରକାର ଓ SRCଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଫିସ ମାନଙ୍କୁ proposal ଦିଆଯାଇଥିଲା, ମତାମତ ଆଣିବା ପରେ ଆସନ୍ତା ୧୫ ତାରିଖ ଭିତରେ ସମସ୍ତ ରିପୋର୍ଟ ସରକାରଙ୍କୁ ଦେବୁ। ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ IIT ରୁରକି କୁ ମଧ୍ୟ ଲେଜର ସର୍ଭେ କରି ବନ୍ୟାର ସମାଧାନ ବାଟ କରିବାକୁ କୁହାଯାଇଛି। ଲେଜର ସର୍ଭେ ରିପୋର୍ଟ ଓ ଲୋକଙ୍କ ମତାମତ ନେଇ ଆଗାମୀ ଦିନରେ ସରକାର ବନ୍ୟା ରୋକିବାକୁ ପଦକ୍ଷେପ ନେବେ ।
କିଛି ସ୍ଥାନରେ ନଦୀର ପାଣି ପଶି କ୍ଷୟକ୍ଷତି କରୁଛି , ମାତ୍ର କିଛି ସ୍ଥାନ ରହିଛି ଯେଉଁଠି ଆବଶ୍ୟକୀୟ କିଛି ପଦକ୍ଷେପ ବନ୍ୟାର କ୍ଷୟକ୍ଷତି କୁ କମାଇବ, ବା ପୁରା ରୋକି ପାରିବ। ଏଣୁ ବନ୍ୟାରେ କେବଳ କ୍ଷତିପୂରଣ ବା ରିଲିଫ ପରିବର୍ତ୍ତେ ଏହାର ସମଧାନ ର ବାଟ ଫିଟାଇବା ପ୍ରୟାସ କୁ ସବୁ ମହଲରୁ କରାଯାଉଛି ସ୍ୱାଗତ।
(0)Comments